’ଛ ମାଣ ଆଠଗୁଣ୍ଠ’ ଭୂମି କୈନ୍ଦ୍ରିକ ଉପନ୍ୟାସ । ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଓଡ଼ିଆ ଜନଜୀବନର ମୂଳଭିତ୍ତି ଥିଲା ଭୂସମ୍ପଦ ଓ ଗୋ ସମ୍ପଦ । ଏତଦ୍ବ୍ୟତୀତ ଗୁଡ଼ାଏ କୁସଂସ୍କାର ଓ ଅନ୍ଧବିଶ୍ୱାସ ଏଭଳି ପ୍ରଭାବ ବିସ୍ତାର କରିଥିଲା ଯେ ସେହି ସମୟର ସମାଜରେ ପୁରୋହିତମାନଙ୍କର କଥାକୁ ବିନା ପ୍ରଶ୍ନରେ ଗ୍ରହଣ କରାଯାଉଥିଲା । ଅଶିକ୍ଷା, ସ୍ୱାର୍ଥପରତା, ଆତ୍ମଗର୍ବ ସହିତ ମିଶି ଯାଇଥିଲା ଅନ୍ୟକୁ ନିମ୍ନ ସ୍ତରର ବୋଲି ପ୍ରତିପାଦନ କରିବାର ମାନସିକତା । ଫକୀରମୋହନ ସ୍ତ୍ରୀଶିକ୍ଷାର ପକ୍ଷପାତୀ ଥିଲେ । କନ୍ୟା ଧନ ବିପକ୍ଷରେ ଲେଖନୀ ଚାଳନା କରିଥିଲେ । ଶିକ୍ଷା କିଭଳି ମଣିଷକୁ ଉଦାର କରିଦିଏ ତାହା ତାଙ୍କର ଅନେକ ରଚନାରେ ପ୍ରତିପାଦିତ । ତେବେ ’ଛାମାଣ ଆଠଗୁଣ୍ଠ’ରେ ଭୂମି ଓ ଧେନୁ ସମ୍ପଦ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଛ ମାଣ ଆଠଗୁଣ୍ଠ ତାଙ୍କର ପ୍ରଥମ ଉପନ୍ୟାସ ।
’ଛ ମାଣ ଆଠଗୁଣ୍ଠ’ ୧୮୯୭ରୁ ୧୮୯୯ ପର୍ଯ୍ୟନ୍ତ ଦୁଇବର୍ଷ କାଳ ଧାରାବାହିକ ଭାବରେ ଉତ୍କଳ ସାହିତ୍ୟରେ ’ଧୂର୍ଜଟୀ’ ଛଦ୍ମ ନାମରେ ପ୍ରକାଶିତ ହେଉଥିଲା । ୧୯୦୨ରେ ଏହା ପୁସ୍ତକ ଆକାରରେ ପ୍ରକାଶିତ ହେଲା । ପୁସ୍ତକରେ ଲେଖକ ଭାବରେ ଫକୀର ମୋହନ ସେନାପତିଙ୍କ ନାମ ଉଲ୍ଲେଖ ଥିଲା । ଧାରାବାହିକ ଭାବେ ପ୍ରକାଶିତ ହେଉଥିବା ସମୟରେ ଏହା ଖୁବ୍ ଲୋକପ୍ରିୟ ହୋଇଥିଲା ।
ବ୍ୟାସକବି ଫକୀର ମୋହନ (ଜାନୁଆରୀ ୧୩, ୧୮୪୩ - ଜୁନ୍ ୧୪, ୧୯୧୮) ଯଥାର୍ଥରେ ଓଡ଼ିଆ ଭାଷା ସାହିତ୍ୟର ସମର୍ଥ ସେନାପତି । କାବ୍ୟ, କବିତା, ଅନୁବାଦ ପ୍ରଭୃତିରେ ନିଜର ସ୍ୱାକ୍ଷର ରଖିଥିବା ଫକୀର ମୋହନ ପରିଣତ ବୟସରେ ଗଳ୍ପ-ଉପନ୍ୟାସ ଲେଖି ସିଦ୍ଧିର ଶିଖର ସ୍ପର୍ଶ କରିଛନ୍ତି । ୧୮୯୭ ରୁ ୧୯୧୫ ମଧ୍ୟରେ ଲିଖିତ ତାଙ୍କର ଚାରୋଟି ଉପନ୍ୟାସ 'ଛ ମାଣ ଆଠଗୁଣ୍ଠ', 'ମାମୁ', 'ଲଚ୍ଛମା' ଓ 'ପ୍ରାୟଶ୍ଚିତ୍ତ' ଓଡ଼ିଆ ସାହିତ୍ୟକୁ ତାଙ୍କର ଶ୍ରେଷ୍ଠ ଅବଦାନ । ତତ୍କାଳୀନ ଜୀବନ୍ମ ୃତ ସମାଜ ଜୀବନର ବ୍ୟାପକ ତଥା ଗଭୀର ଅବଲୋକନ ତାଙ୍କ କଲମକୁ ସାମର୍ଥ୍ୟ ଦେଇଛି । ଗ୍ରାମ୍ୟ ଓଡ଼ିଶାର ଚଳନ୍ତି ଭାଷା ପ୍ରୟୋଗରେ ସେ ଦକ୍ଷ । ତାଙ୍କର ଚରିତ୍ରମାନେ ଆଜି ମଧ୍ୟ ଜୀବନ୍ତ । ଓଡ଼ିଆ ଗଦ୍ୟ ସାହିତ୍ୟରେ ଅନେକ ପରୀକ୍ଷା ଓ ପ୍ରୟୋଗ ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଫକୀରମୋହନଙ୍କ ସୃଷ୍ଟି ଅନତିକ୍ରମଣୀୟ ହୋଇରହିଛି ।